ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲକ୍ଷ୍ମୀନାରାୟଣ ବା ଠିଆକିଆ ବେଶ
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲକ୍ଷ୍ମୀନାରାୟଣ ବା ଠିଆକିଆ ବେଶ: ପବିତ୍ର କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ଅନ୍ଯ ସବୁ ବେଶ ପରି ଲକ୍ଷ୍ମୀନାରାୟଣ ବେଶ ମଧ୍ଯ ଅପୂର୍ବ ମନେ ହୁଏ। ଶ୍ରୀଜଗନ୍ନାଥ ଧର୍ମ ଓ ବିଭିନ୍ନ ସଂପ୍ରଦାୟର ଦେବତା ଭାବରେ ପରିଗଣିତ ହେଲେ ହେଁ ମୁଖ୍ଯତଃ ବିଷ୍ଣୁ ରୂପରେ ସେ ଆରାଧିତ। କେତେକ ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି ଯେ, ଏହି ବେଶ ବିଶିଷ୍ଟାଦ୍ବୈତ ସଂପ୍ରଦାୟର ଅତି ପ୍ରିୟ ଅଟେ। କଥିତ ଅଛି ରାମାନୁଜାଚାର୍ଯ୍ଯ ଏହି ବେଶ ସଂଦର୍ଶନ କରି ପରମ ସନ୍ତୋଷ ଲାଭ କରିବା ସଙ୍ଗେ ସଙ୍ଗେ ଉକ୍ତ ଦିନ ଶ୍ରୀ ସଂପ୍ରଦାୟର ମହୋତ୍ସବ କରାଇଥିଲେ। ତେଣୁ ଖ୍ରୀଷ୍ଟୀୟ ଦ୍ବାଦଶ ଶତାଦ୍ଦୀରୁ ଏହି ବେଶର ପ୍ରଚଳନ ହୋଇଥିବାର ଅନୁମାନ କରାଯାଏ।
କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ ‘ ଲକ୍ଷ୍ମୀନାରାୟଣ’ ବା ‘ଠିଆକିଆ’ ବେଶ ହୋଇଥାଏ। ଉପରୋକ୍ତ ବେଶ ଥାଇ ଠାକୁରମାନଙ୍କ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ଯାଦି ନୀତି ହୋଇଥାଏ। ଏହି ବେଶରେ ଠାକୁରମାନଙ୍କୁ ଲାଗି ହେଉଥିବା ସ୍ବର୍ଣ୍ଣ ଅଳଙ୍କାର ତାଲିକା ନିମ୍ନରେ ପ୍ରଦତ୍ତ କରାଗଲା।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲକ୍ଷ୍ମୀନାରାୟଣ ବା ଠିଆକିଆ ବେଶ
Also Read: Read about Thiakia Besa in English
୧-: ସ୍ବର୍ଣ୍ଣ ଶ୍ରୀଭୁଜ-୪(୨+୨)
୨-: କିରୀଟ-ମୂ ୩
୩-: ଶ୍ରୀପୟର- ମୂ ୪
୪-: କାନ( କର୍ଣ୍ଣ )- ମୂ ୬
୫-: କଦମ୍ବମାଳୀ- ମୂ ୪ (୪୦,୪୧,୩୨,୩୨)
୬-: ହରିଡା କଦମ୍ବମାଳୀ- ମୂ ୧ ( ୩୮ ଟି କଦମ୍ବ + ୩୮ ଟି ହରିଡା )
୭-: ବାହାଡା ମାଳୀ- ମୂ ୨(୩୦,୩୨)
୮-: ତାବିଜ ମାଳୀ- ମୂ ୧ (୭୫)
୯-: ବାଘ ନଖିମାଳୀ- ମୂ ୧ ( ୩୩ଟି ପଦକ ଥାଇ)
୧୦-: ସେବତୀ ମାଳୀ- ମୂ ୩ ( ୩୨,୬୦,୬୦ )
୧୧-: ହଳ, ମୂଷଳ- ମୂ ୨
୧୨-: ଚକ୍ର-: ୧
୧୩-: ତ୍ରିଶାଖା- ମୂ ୨
୧୪-: ଅଳକା- ମୂ ୩( ୧୪,୧୨,୧୬)
୧୫-: ଶ୍ରୀମୁଖ ପଦ୍ମ- ମୂ ୪( ୨୬, ୨୭, ୨୧, ୧୯ )
୧୬-: ରୂପା ଶଙ୍ଖ- ମୂ୧
୧୭-:ଓଡିଆଣୀ- ୩ ମୂର୍ତ୍ତି
୧୮-: ଚନ୍ଦ୍ର ସୁର୍ଯ୍ଯ- ୩ ମୂ
୧୯-: ତିଳକ ( ଚିତା )- ମୂ ୨
୨୦-: ଘାଘଡା ମାଳି- ମୂ ୩
୨୧-: କୁଣ୍ଡଳ- ମୂ ୪
୨୨-: ତଡଗୀ- ମୂ ୨( ମଝିବାଡ- ସୁଭଦ୍ରା)
୨୩-: ଏକ କ୍ଷୁଦ୍ର ଟୋପର-( ଏଥିରେ ସ୍ବର୍ଣ୍ଣ କିଆ ଖଞ୍ଜା ଯାଇଥାଏ)
ଉପରିଲିଖିତ ସ୍ବର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ଯ, ପାଟ ବସ୍ତ୍ର ଇତ୍ଯାଦି ରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀ ନାରାୟଣ ବେଶରେ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ, ମୂଷଳ ଓ କେତେକ ଅଧିକ ସ୍ବର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି। ଏତଦବ୍ଯତୀତ ସୁନା ବେଶ ଭଳି ଏହି ବେଶରେ ଠାକୁରମାନଙ୍କ ମସ୍ତକରେ ସ୍ବର୍ଣ୍ଣ କିରୀଟ ଶୋଭା ପାଇଥାଏ ଓ କିରୀଟ ପଛ ପାର୍ଶ୍ବରେ ଠାକୁରମାନେ ଚୂଳ ଧାରଣ କରନ୍ତି ସେଥିରେ ସୁବର୍ଣ୍ଣ କିଆମାନ ଖଞ୍ଜା ଯାଇଥାଏ।
ଅତୀତରେ ରାମାନୁଜ ସଂପ୍ରଦାୟର ଏମାର ମଠ, ଶ୍ରୀରାମ ଦାସ ମଠ, ଉତ୍ତରପାର୍ଶ୍ବ ମଠ, ସିଦ୍ଧ ମଠ, ରାଘବ ଦାସ ମଠ ପ୍ରଭୃତିର ମହନ୍ତ ମହାରାଜମାନେ ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରକୁ ଆଗମନ କରି ଶ୍ରୀଜୀଉମାନଙ୍କ ସମ୍ମୁଖରେ ଶ୍ରୀମନ୍ ନାରାୟଣ ସ୍ତୋତ୍ରମ୍ ପାଠ କରୁଥିଲେ। ଏହି ମନୋମୁଗ୍ଧକର ବେଶ ଦର୍ଶନ ନିମନ୍ତେ ଲକ୍ଷ ଲକ୍ଷ ଭକ୍ତ ତଥା ଦର୍ଶନାର୍ଥୀ ଶ୍ରୀମନ୍ଦିର ଜଗମୋହନକୁ ଯାଇ ଠାକୁରଙ୍କୁ ଦର୍ଶନ ପୂର୍ବକ ମନରେ ଯେଉଁ ପୁଲକ ଓ ଶିହରଣ ଅନୁଭବ କରନ୍ତି, ଅନୁଭବୀ ବିନା ଅନ୍ଯ କେହି ତାହା ଉପଲବ୍ଧି କରିପାରିବେ ନାହିଁ। ଭୋଗମଣ୍ଡପ ଶେଷ ପରେ ପରେ ଏହି ବେଶ, ଅଳଙ୍କାର ଇତ୍ଯାଦି ମଇଲମ ହୋଇ ମଧ୍ଯାହ୍ନ ଧୂପ ଅନୁଷ୍ଠିତ ହୋଇଥାଏ।
Also Read: ପୁରୀ ଗୋଲଡେନ ବେଳାଭୂମିର ଫୋଟୋ ଚିତ୍ର
Jagannath Temple after Lock Down
Besas of Lord Jagannath